ଯାତ୍ରା-23
ଯାତ୍ରା-23
କେହି ଦେଖୁବା ନଦେଖୁ
ମୁଁ ନିଜେ ନିଜକୁ ଦେଖୁଛି।
ମୁଣ୍ଡ କୁଣ୍ଡାଉଛି , ମୁହଁରେ କ୍ରିମ ମାଖୁଛି
ପେଣ୍ଟ, ସାର୍ଟରେ ଅତର ବୋଳୁଛି
ଦେହ ,ମନରେ ଲାଗିଥିବା ସମୟର ଦାଗକୁ
ଲିଭେଇବାକୁ ଚେଷ୍ଟା କରୁଛି,
ବାରମ୍ବାର ଆଇନାରେ ମୁହଁ ଦେଖୁଛି
ଜୀବନସାରା ଦଉଡି ଦଉଡି କୋଉଠିବା ମୁଁ
ନିଜେ ନିଜକୁ ଦେଖିଛି;
ସବୁକିଛି ଅନ୍ଧାର ହୋଇଯିବା ଆଗରୁ
ଟିକେ ନିଜକୁ ଭଲକି ଦେଖିନିଏ।
କେହି ଶୁଣନ୍ତୁବା ନଶୁଣନ୍ତୁ
ମୁଁ କହୁଛି- କିଛି କଥା, କିଛି ବ୍ୟଥା;
ଜୀବନଟା ନିଶବ୍ଦରେ କଟିଗଲା ଶୁଣି ଶୁଣି
ଏବେଟିକେ ମୁଁ ନିଜକଥା କହିବି:
କିଛି ସ୍ମୃତି, କିଛି ଚି଼ହ୍ନ
କିଛି ଅଲୋଡ଼ା ସକାଳ ଆଉ ସନ୍ଧ୍ୟାର
ଅବ୍ୟକ୍ତ ନିରବତା ।
କେହି ନଶୁଣିଲେ ନାହିଁ
ମୁଁ ମୋ ନିଜକଥା ଶୁଣିବି
ମନଭରି ଶୁଣିବି ନିର୍ବାକ,ନିଷ୍ପନ୍ଦ ହେଇଯିବା ଆଗରୁ।
ମୁଁ ଲେଖୁଛି,
କେହି ପଢୁବା ନପଢୁ-
ମୁଁ ପଢୁଛି ନିଜେ ନିଜକୁ ବାରମ୍ବାର
ସାଉଣ୍ଟୁଚି କିଛ ମହାର୍ଘ୍ୟ ମୁହୂର୍ତ୍ତ
ସମୟର ନିଶୁନ ବେଳାଭୂମିରୁ।
ନିଜେ ଭିଜୁଛି , ଭିଜୁଛି ମୋ ଗତକାଲି
ହଜୁଛି ମୋ ଵିଵସ ବର୍ତମାନ
ଆଉ ଅଲୋଡ଼ା ଭବିଷ୍ୟତ
କହିବି କହିବିବୋଲି ଜୀବନରେ
ବହୁତ କିଛି କହି ପାରିଲିନି,
କିଛି ଲେଖିଦିଏ
ନିଜେ ନିଜକୁ ବୁଝାଇବା ପାଇଁ
ଅତିକମରେ ମନର ବୋଝ ତ ଟିକେ ହାଲୁକା ହେଇଯିବ ।
ମୁଁ କହୁଛି, ଲେଖୁଛି
ବାରମ୍ବାର ଆଇନାରେ ମୁହଁ ଦେଖୁଛି
ନିଜେ ନିଜକୁ ଦେଖି, ଶୁଣି, କହି
ପ୍ରଲୁବ୍ଧ ହଉଛି, ଭୁଲିଯାଉଛି;
ଏଇଟା ବୟସର କେଉଁ ବାର
ଜୀବନର କେଉଁ ଋତୁ
ବର୍ଷା, ବସନ୍ତ ଅବା ବୈଶାଖ।
ସ୍ମୃତି ରଞ୍ଜନ ମହାନ୍ତି ©
19.20.2021
https://smrutiweb.wordpress.com/2021/10/19
Comments
Post a Comment